ଜିଲ୍ଲା ସମ୍ବନ୍ଧରେ
ଗଞ୍ଜାମ ଜିଲ୍ଲା ତା ୦୧.୦୪.୧୯୩୬ ରିଖରେ ତାର ସ୍ଥିତିକୁ ଆସିଥିଲା । ଋଷିକୂଲ୍ୟା ନଦୀର ଉତ୍ତର ପାର୍ଶ୍ବରେ ଥିବା ୟୁରୋପୀୟ ଦୁର୍ଗ ଗଞ୍ଜାମ ନାମକ କ୍ଷୁଦ୍ର ସହରର ନାମାନୁସାରେ ଏହି ଜିଲ୍ଲା ନାମିତ ଯାହା ପୂର୍ବେ ଏହି ଜିଲ୍ଲାର ରାଜଧାନୀ ଥିଲା । ଗଞ୍ଜାମ ଅଞ୍ଚଳ ପ୍ରାଚୀନ କଳିଙ୍ଗ ର ଅଂଶ ବିଶେଷ ଥିଲା ଯାହା ଖ୍ରୀଷ୍ଟପୂର୍ବ ୨୬୧ ରେ ମହାରାଜା ଅଶୋକଙ୍କ ଦ୍ଵାରା ଅଧିକୃତ ହୋଇଥିଲା । ୧୭୫୭ ଖ୍ରୀଷ୍ଟାବ୍ଦରେ ଏହା ଫରାସୀ କମାଣ୍ଡର ବୁସିଙ୍କ ଦ୍ବାରା ଶାସିତ ହୋଇଥିଲା । ମାତ୍ର ୧୭୫୯ ଖ୍ରୀଷ୍ଟାବ୍ଦରେ ଏହି ଫରାସୀ ଶାସକ ଇଂରେଜ ମାନଙ୍କ ଦ୍ବାରା ପରାସ୍ତ ହେବା ପରେ ଏହା ଇଂରେଜ ସାମ୍ରାଜ୍ୟଭୁକ୍ତ ହୋଇଥିଲା । ୧୭୯୪ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥାପିତ ହୋଇଥିଲା । ଏହି ଜିଲ୍ଲା ମାଡ୍ରାସ ପ୍ରେସିଡ଼େନ୍ସିଠାରୁ ପୃଥକ ହୋଇ 0୧.0୪.୧୯୩୬ ରେ ନୂତନ ଭାବେ ଗଠିତ ଓଡ଼ିଶା ପ୍ରଦେଶର ଏକ ଅଂଶ ବିଶେଷ ହୋଇଥିଲା ।
ଗଞ୍ଜାମ ଜିଲ୍ଲା ୧୯°.୪’ ଉତ୍ତର ଅକ୍ଷାଂଶଠାରୁ ୨୦°.୧୭’ ଉତ୍ତର ଅକ୍ଷାଂଶ ଓ ୮୪°.୧୨’ ପୂର୍ବ ଦ୍ରାଘିମାରୁ ୮୫°.୧୨’ ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ । ଏହା ୮୦୭୦.୬୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ । ଏହି ଜିଲ୍ଲାକୁ ମୁଖ୍ୟତଃ ଦୁଇଟି ଭୌଗୋଳିକ ଅଞ୍ଚଳରେ ବିଭକ୍ତ, ଯ଼ଥା ପୂର୍ବସ୍ଥ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ ଏବଂ ପଶ୍ଚିମସ୍ଥ ମାଳଭୂମି ତଥା ପାର୍ବତ୍ୟାଞ୍ଚଳ ଜିଲ୍ଲାର ପଶ୍ଚିମ ପ୍ରାନ୍ତ ପୂର୍ବଘାଟ ପର୍ବତମାଳାର ଅଂଶବିଶେଷ ଅଟେ । ଗଞ୍ଜାମ ଜିଲ୍ଲାର ଜଳବାୟୁ, ମୁଖ୍ୟତଃ ଉପକୂଳବର୍ତ୍ତୀ ଅଞ୍ଚଳର ଜଳବାୟୁ ବର୍ଷସାରାର ସମଶୀତୋଷ୍ଣ ଅଟେ । ଜିଲ୍ଲାରେ ଶୀତଋତୁ ଡ଼ିସେମ୍ବର ଠାରୁ ଫେବୃୟାରୀ ପର୍ଯ୍ୟନ୍ତ ଏବଂ ଗ୍ରୀଷ୍ମଋତୁ ମାର୍ଚ୍ଚଠାରୁ ମେ ମାସ ପର୍ଯ୍ୟନ୍ତ ଅନୁଭୁତ ହୁଏ । ଜିଲ୍ଲାର ସାଧାରଣ ବାର୍ଷିକ ବୃଷ୍ଟିପାତ ୧୪୪୪ ମି. ମି. ଅଟେ ।
କୃଷି ଗଞ୍ଜାମ ଜିଲ୍ଲାର ଅଧିବାସୀଙ୍କ ପ୍ରଧାନ ତଥା ପାରମ୍ପରିକ ଜୀବିକା ଅଟେ । ଏହି ଜିଲ୍ଲା ତାହାର ଉର୍ବର ମୃତ୍ତିକା ତଥା କୃଷି ଉତ୍ପାଦନ ପାଇଁ ବେଶ୍ ପରିଚିତ । ଏଠାରେ ଧାନ ଚିନାବାଦାମ, ଆଖୁ, ତୈଳବୀଜ, ମାଣ୍ଡିଆ, ମୁଗ, ବିରି ଭଳି ବିଭିନ୍ନ ଶସ୍ୟ ମୁଖ୍ୟତଃ ଚାଷ କରାଯାଇଥାଏ ।
ଗଞାମ ଜିଲ୍ଲାର ସାକ୍ଷରତା ହାର ୬୦ ପ୍ରତିଶତରୁ ଅଧିକ ଅଟେ । ଏହି ଜିଲ୍ଲାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ଗଞ୍ଜାମ ଆଇନ ମହାବିଦ୍ୟାଳୟ, ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ, ନିଷ୍ଟ (NIST), ବ୍ରହ୍ମପୁରସ୍ଥ ଖଲିକୋଟ ବିଶ୍ବବିଦ୍ୟାଳୟ, ଛତ୍ରପୁରସ୍ଥ ବିଜ୍ଞାନ ମହାବିଦ୍ୟାଳୟ, ବ୍ରହ୍ମପୁରସ୍ଥ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ, ନର୍ସିଂ ମହାବିଦ୍ୟାଳୟ ଏବଂ ଫାର୍ମାସୀ କଲେଜ ଭଳି ବହୁ ପ୍ରଖ୍ୟାତ ଶିକ୍ଷାନୁଷ୍ଠାନ ରହିଛି ।
ବର୍ଷସାରା ଏହି ଗଞ୍ଜାମ ଜିଲ୍ଲାରେ ବହୁତ ପର୍ବ ପାଳିତ ହୁଏ । ଦୋଳଯାତ୍ରା, ତାରାତାରିଣି ମେଳା, ଠାକୁରାଣୀ ଯାତ୍ରା, ଦୁର୍ଗାପୂଜା, ଶିବରାତ୍ରି, ରଥଯାତ୍ରା, ମକରସଂକ୍ରାନ୍ତି, ମାଣବସା ଗୁରୁବାର ଏବଂ ଦଣ୍ଡଯାତ୍ରା ଭଳି ବହୁ ପର୍ବ ମହାଆଡ଼ମ୍ବରରେ ପାଳିତ ହୁଏ । ଏହି ଜିଲ୍ଲା ବହୁ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳ ଦ୍ବାରା ପରିପୂର୍ଣ୍ଣ । ଏହା ବର୍ଷସାରା ବହୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଏହି ଭଳି ପର୍ଯ୍ୟଟନ ସ୍ଥଳ ଗୁଡ଼ିକ ହେଲା, ଆର୍ଯ୍ୟପଲ୍ଲୀ ତଥା ଗୋପାଳପୁର ବେଳାଭୂମି, ଆଠଗଡ଼ପାଟଣା, ବାଳକୁମାରୀ, ଭୈରବୀ ମନ୍ଦିର, ଭେଟନଇ, ବିରଞ୍ଚି ନାରାୟଣ ମନ୍ଦିର, ବୁଗୁଡ଼ା, ଖଲିକୋଟ ନାରାୟଣୀ, ବୁଦ୍ଧଖୋଲ, ବୁଗୁଡ଼ା, ରମ୍ଭାର ଚିଲିକା ତଥା ପାନ୍ଥ ନିବାସ, ନିର୍ମଳଝର, ତାରାତାରିଣୀ ଶକ୍ତିପୀଠ, ଚିକିଟି ଗିରିସୋଲା ଇତ୍ୟାଦି ।
ଏହି ଜିଲ୍ଲା ବହୁ ବିଶ୍ବବିଖ୍ୟାତ ବ୍ୟକ୍ତିତ୍ବ ଯଥା ଭାରତରତ୍ନ ଭି. ଭି. ଗିରି ( ପୂର୍ବତନ ରାଷ୍ଟ୍ରପତି), ବିଶ୍ବନାଥ ଦାଶ, ବିନାୟକ ଆଚାର୍ଯ୍ୟ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ଶଶିଭୂଷଣ ରଥ, କବିସୂର୍ଯ୍ୟ ବଳଦେବ ରଥ , କଳିଙ୍ଗବୀର ବିଜୁପଟ୍ଟନାୟକ, ରାଜବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, ଚକରା ବିଷୋୟୀ ତଥା ପଦ୍ମଶ୍ରୀ ଭଗବାନ ସାହୁଙ୍କ ଜନ୍ମସ୍ଥାନ ଅଟେ ।