ଅର୍ଥବ୍ୟବସ୍ଥା

ଗଞ୍ଜାମ ଜିଲ୍ଲାର ଅର୍ଥନୀତି :

ଗଞ୍ଜାମ ଜିଲ୍ଲାର ଅର୍ଥନୀତି ଉଭୟ ଶିଳ୍ପ ଓ କୃଷି ଦ୍ୱାରା ସମୃଦ୍ଧ । ଏହି ଜିଲ୍ଲା ଖାଦ୍ୟ ଉତ୍ପାଦନ ଏବଂ ଏହାର ରପ୍ତାନୀ ପାଇଁ ସୁପରିଚିତ । କୃଷି କ୍ଷେତ୍ର ଏହାର ମୁଖ୍ୟ ଶ୍ରମ ଶକ୍ତିର ଶତକଡା ୭୫ ଭାଗ ଯୋଗାଇଥାଏ । ପଶୁପାଳନ ମଧ୍ୟ ଜିଲ୍ଲାର ଆୟ ବୃଦ୍ଧିରେ ସହାୟକ ହୋଇଥାଏ । ଜନ ସଂଖ୍ୟାର ଏକ ମୁଖ୍ୟ ଭାଗ ଲୋକ ପଶୁଚାରଣ ଦ୍ୱାରା ଜୀବିକା ନିର୍ବାହ କରିଥାନ୍ତି । ଗଞାମ ଜିଲ୍ଲାର ଆର୍ଥିକ ଅଭିବୃଦ୍ଦିରେ ଶିଳ୍ପ ସଂସ୍ଥାର ଯୋଗଦାନ ଏକ ମୁଖ୍ୟ ଭୂମିକା ନିର୍ବାହ କରେ । ଏହି ଜିଲ୍ଲା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ଖଣିଜଦ୍ରବ୍ୟ ଯଥା : ଚୂନପଥର,ସୋଡାପଥର,ଚିନାମାଟି,ଅଗ୍ନି ନିରୋଧକ ମୃତ୍ତିକା ଗ୍ରାଫାଇଟ୍,ଗ୍ରାନାଇଟ୍ ଏବଂ ବାଲୁକା ପ୍ରସ୍ତରର ଗନ୍ତାଘର ଅଟେ ।

କୃଷି ଏହି ଜିଲ୍ଲାର ଆର୍ଥିକ ମେରୁଦଣ୍ଡ ଗଠନ କରିବାରେ ସହାୟକ ହୁଏ, ଯେପରିକି ଜିଲ୍ଲାର ମୋଟ ଜନସଂଖ୍ୟାର ଶତକଡା ୭୦ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି । ଜିଲ୍ଲାର ପୂର୍ବଭାଗରେ ( ଉପକୃଳ ଅଞ୍ଚଳ) ସଞ୍ଚିତ ମୃତ୍ତିକା ବା ପଟୁ ମୃତ୍ତିକା ରହିଛି, ପଶ୍ଚିମ ପାର୍ଶ୍ୱସ୍ଥ ପାହିଡିଆ ଅଞ୍ଚଳରେ ଲାଟେରାଇଟ୍ ବା ମାଙ୍କଡାପଥର ଏବଂ କେନ୍ଦ୍ରସ୍ଥ କ୍ଷୁଦ୍ର ଅଞ୍ଚଳ ତଥା ଚିଲିକା କୂଳସ୍ଥ ଉତ୍ତର ପୂର୍ବାଂଶରେ କୃଷ୍ଣକାର୍ପାସ ମୃତ୍ତିକା ଦେଖାଯାଏ, ଏହା କୃଷି ଉତ୍ପାଦନରେ ବାସ୍ତବ ସହାୟକ ହୋଇଥାଏ । ଖଣିଜ ସମ୍ବଳ ଏବଂ ଜଙ୍ଗଲ ସମ୍ପଦର ଉପଲବ୍ଧତା ଜିଲ୍ଲାର ଅର୍ଥନୀତିରେ ସହାୟକ ହୋଇଥାଏ ।

ପଥର ତିଆରି, ଚୂର୍ଣ୍ଣନ ପେଷଣ ଉପକରଣ , ଚୂନ ପଥର, ମାଙ୍ଗାନିଜ୍ ମୋନାଜାଇଟ୍ ,ବାଲି ,ଅଭ୍ର ଭଳି କେତେକ ମୁଖ୍ୟ ଅର୍ଥନୈତିକ ଖଣିଜ ଏହି ଜିଲ୍ଲାରେ ଦେଖାଯାଏ । କଳାମୁଗୁନି ପଥର ଏଠାରେ ପ୍ରଚୁର ମାତ୍ରାରେ ଉପଲବ୍ଧ ଯାହାକି ବହୁତ ପଥର କ୍ରସର ଓ ପଥର ପଲିସ୍ କେନ୍ଦ୍ରକୁ ଦୀର୍ଘଦିନ ଧରି ଚଲାଇବା ପାଇଁ ସମର୍ଥ । ଭାରତୀୟ ବିରଳ ମୃତ୍ତିକା ଦ୍ୱାରା ପରିଚାଳିତ ମାଟିଖାଲ ଖଣି ଜିଲ୍ଲାର ଏକ ମାତ୍ର ଖଣି ଅଟେ, ଯାହା ମୋନାଜାଇଟ , ଜିରକନ୍ , ରୁଟାଇଲ ଭଳି ତେଜସ୍କ୍ରିୟ ବାଲୁକା ରାଶିଦ୍ୱାରା ପୂର୍ଣ୍ଣ ।

ଏହି ଜିଲ୍ଲାର ଅରଣ୍ୟସମ୍ବଳ ପର୍ଯ୍ୟାପ୍ତ ପରିମାଣରେ କଞ୍ଚାମାଲ ଯୋଗାଇଥାଏ ଯାହା ଜିଲ୍ଲାର ଆର୍ଥିକ ଅଭିବୃଦ୍ଧିରେ ମୁଖ୍ୟ ଯୋଗଦାନ କରିଥାଏ । କାଠ , ବାଉଁଶ, ତେନ୍ତୁଳି, ମହୁଲ, ଝୁଣା, ଲାଖ, କେନ୍ଦୁପତ୍ର, ଶିଆଳ ପତ୍ର,ଶାଳପତ୍ର ,ନିମ୍ବ ଏବଂ କରଞ୍ଜମଞ୍ଜି, ଏହି ଜିଲ୍ଲାର ମୁଖ୍ୟ ଜଙ୍ଗଲ ଜାତ ଦ୍ରବ୍ୟ ଅଟେ । ପଶୁସମ୍ପଦ ଦୃଷ୍ଟିରୁ ଜିଲ୍ଲାର ପଶୁସମ୍ପଦ ଏହାର ଆର୍ଥିକ ଅଭିବୃଦ୍ଧିରେ ପ୍ରମୁଖ ଯୋଗଦାନ କରିଥାଏ । ଏହି ଜିଲ୍ଲାର ସୁଦୀର୍ଘ ଉପକୂଳରୁ ସଂଗୃହୀତ ଶାମୁକା ଜିଲ୍ଲା ତଥା ରାଜ୍ୟର ଚୂନର ମୁଖ୍ୟ ଚାହିଦା ପୂରଣ କରିବାରେ ସହାୟକ ହୋଇଥାଏ । ଗଞ୍ଜାମ, ହୁମ୍ମା ଅଞ୍ଚଳ , ବାହୁଦା ଓ ରୁଷିକୂଲ୍ୟା ନଦୀର ମୁହାଣ ଅଞ୍ଚଳ ଲୁଣ ଉତ୍ପାଦନର ପ୍ରମୁଖଉତ୍ସ ଅଟେ ଯାହା କେବଳ ଜିଲ୍ଲା ନୁହେଁ ରାଜ୍ୟର ଲୁଣ ଚାହିଦା ମେଣ୍ଟାଇବାରେ ସମର୍ଥ ହୋଇଥାଏ । ଏହି ଜିଲ୍ଲାରେ ଅନେକ ଶିଳ୍ପ ଗଢି ଉଠିଛି । ଜିଲ୍ଲାର ବ୍ରହ୍ମପୁର , ଭଞ୍ଜନଗର ଏବଂ ଛତ୍ରପୁର ଭଳି ତିନୋଟି ଶିଳ୍ପ ଅଞ୍ଚଳ ରହିଛି ।

ଅଧିକାଂଶ ଗରିବଘରର ଶିକ୍ଷିତ ଯୁବକ ମାନେ ଅର୍ଥ ଉପାର୍ଜନ ପାଇଁ ଗୁଜୁରାଟର ବିଭିନ୍ନ ସହର ତଥା ଭାରତର ବିଭିନ୍ନ ସହରକୁ ସ୍ଥାନନ୍ତରିତ ହୁଅନ୍ତି। ଏହି ଭଳି ସହର ଗୁଡିକର ଜନସଂଖ୍ୟା ଗଞ୍ଜାମରୁ ସ୍ଥାନାନ୍ତରିତ ଶିକ୍ଷିତ ଯୁବକଙ୍କଦ୍ୱାରା ପରିପ୍ଳୁତ ଯାହା ଏହାର ଅର୍ଥନୀତି ଉପରେ ଆଖିଦୃଶିଆ ପ୍ରଭାବ ପକାଇଥାଏ।